ଭୁବନେଶ୍ଵର, ନିରପେକ୍ଷ ଖବର:ତା ୦୬/୧୧ ଭୁବନେଶ୍ୱରର କିଟ୍ ଓ କିସ୍ ପରିଦର୍ଶନ କଲେ ଇସ୍ରାଏଲର ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ। ‘ଇଣ୍ଡିଆ ଟ୍ରେକ୍ ଫର୍ ଗ୍ଲୋବାଲ୍ ଲିଡର୍ସ’ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା, ବ୍ୟାଙ୍କିଂ ଓ ଆଇଟି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗଠିତ।
ପରିଦର୍ଶନ ସମୟରେ ପ୍ରତିନିଧିମଣ୍ଡଳୀ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଏବଂ କିସ୍ର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ। କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେମାନେ ଅନୁଷ୍ଠାନର ସଫଳତା ଓ ଏହା ପଛରେ ଥିବା ଦୂରଦୃଷ୍ଟିକୁ ଉଚ୍ଚ ପ୍ରଶଂସା କରିଥିଲେ।

ସେମାନଙ୍କ ମତରେ, ଅନେକଙ୍କ ପାଖରେ ବଡ଼ ସ୍ୱପ୍ନ ଓ ଭଲ ବିଚାର ଥାଏ, କିନ୍ତୁ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବାର ଦକ୍ଷତା ଖୁବ୍ କମ୍ ଲୋକଙ୍କ ପାଖରେ ରହିଛି। ଅଚ୍ୟୁତ ସାମନ୍ତ ଏହାର ଏକ ଉଦାହରଣ ବୋଲି ସେମାନେ କହିଥିଲେ।
ଏହି ଅବସରରେ ଶିକ୍ଷା, ମାନବସେବା ଓ ଅବହେଳିତ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାର୍ଭାର୍ଡ କ୍ଲବ୍ ଅଫ୍ ଇସ୍ରାଏଲ୍ ଏବଂ ଇସ୍ରାଏଲୀୟ ପ୍ରତିନିଧିମଣ୍ଡଳୀ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ସୂଚନାଯୋଗ୍ୟ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁମତିକ୍ରମେ ୧୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଏହି ପ୍ରତିନିଧିମଣ୍ଡଳୀ। ଗସ୍ତ ସମୟରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବା ସହ କିଟ୍ ଓ କିସ୍ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଜ୍ଞାନ ଓ ଅଭିଜ୍ଞତା ଆଦାନପ୍ରଦାନ କରିବେ।
ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

