ଭୁବନେଶ୍ୱର, ନିରପେକ୍ଷ ଖବର, ୧୩/୧୦: ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କିମ୍ସକୁ ମିଳିଛି ଏକ ନୂଆ ସଫଳତା। ହସ୍ପିଟାଲରେ ପ୍ରଥମ ଥର ପାଇଁ ସଫଳତାର ସହ କରାଯାଇଛି କର୍ନିଆ ପ୍ରତିରୋପଣ। ଏହି ଅସ୍ତ୍ରୋପଚାର ପରେ ଦୀର୍ଘ ତିନି ବର୍ଷ ଧରି ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ହରାଇଥିବା ଜଣେ ୩୭ ବର୍ଷୀୟ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଉଲ୍ଲେଖନୀୟ ସୁଧାର ଆସିଛି।
କିମ୍ସର ଚକ୍ଷୁ ବିଶେଷଜ୍ଞ ଡା. ଅକ୍ଷିତ ଗୁପ୍ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଏହି ଅସ୍ତ୍ରୋପଚାର କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାର ସ୍ଥାନୀୟ ନିଶ୍ଚେତକ ପ୍ରୟୋଗ କରି କରାଯାଇଥିଲା।
ଡା. ଗୁପ୍ତାଙ୍କ ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଆଖିରେ ସଂକ୍ରମଣ ହେବା ପରେ ରୋଗୀଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ପ୍ରାୟ ନଷ୍ଟ ହୋଇଯାଇଥିଲା। କିମ୍ସକୁ କର୍ନିଆ ପ୍ରତିରୋପଣ ପାଇଁ ଗତ ସପ୍ତାହରେ ସରକାରୀ ଅନୁମତି ମିଳିବା ପରେ ଏହି ଚିକିତ୍ସା ସମ୍ଭବ ହୋଇପାରିଛି। ଏହି ସଫଳତା କିମ୍ସର ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ଅସ୍ତ୍ରୋପଚାର ପରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଆହୁରି ସୁଧାର ଆସିବା ନେଇ ଆଶା ପ୍ରକାଶ କରିଛନ୍ତି ଡା. ସୁଭାଙ୍ଗୀ ସାହୁ। ଦୃଷ୍ଟିର ସ୍ପଷ୍ଟତା ବଢ଼ିବା ପାଇଁ ଦୁଇରୁ ତିନି ସପ୍ତାହ ସମୟ ଲାଗିପାରେ। ଆଗାମୀ କିଛି ମାସ ମଧ୍ୟରେ ଦୃଷ୍ଟିଶକ୍ତିରେ ଆହୁରି ଉନ୍ନତି ହେବାର ସମ୍ଭାବନା ରହିଛି।
ଏହି ଅସ୍ତ୍ରୋପଚାରରେ ଡା. ଅକ୍ଷିତ ଗୁପ୍ତା, ଡା. ମାତୁଲି ଦାସ ଓ ଡା. ସୁଭାଙ୍ଗୀ ସାହୁଙ୍କ ସମେତ ଲୋଚନା ତ୍ରିପାଠୀ ଓ ଶ୍ୟାମଳୀ ରାଉତରାୟ ସାମିଲ ଥିଲେ।
ସୂଚନାଯୋଗ୍ୟ, ଦେଶରେ ପ୍ରାୟ ୧୦ ଲକ୍ଷ ଲୋକଙ୍କର କର୍ନିଆ ପ୍ରତିରୋପଣ ଆବଶ୍ୟକ ଥିବାବେଳେ ଆବଶ୍ୟକତା ଅନୁଯାୟୀ ଦାନରେ ମିଳୁଥିବା କର୍ନିଆର ସଂଖ୍ୟା ଯଥେଷ୍ଟ କମ୍। ନଷ୍ଟ ବା ରୋଗାକ୍ରାନ୍ତ କର୍ନିଆ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ କର୍ନିଆ ଦାନ ନୂଆ ଆଶା ସୃଷ୍ଟି କରିଥାଏ। ତେଣୁ ଚକ୍ଷୁଦାନ ସମ୍ପର୍କରେ ଜନସଚେତନତା ବୃଦ୍ଧି ସହ ଅଧିକରୁ ଅଧିକ ଲୋକ ଚକ୍ଷୁଦାନ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।
ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହ ରୋଗୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ, ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଜଣକ ନିଜ ଦୃଷ୍ଟିଶକ୍ତି ଫେରାଇବାରେ ସହାୟତା କରିଥିବା କର୍ନିଆ ଦାତାଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି।


