ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ
ଭୁବନେଶ୍ୱର, ନିରପେକ୍ଷ ଖବର, ୧୧/୧୦: ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ଅଧିକ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି।
ରବିବାର ବରଗଡ଼ ଜିଲ୍ଲା ନୂଆଖାଇରପାଲିସ୍ଥିତ କୋଶଳ ବିଦ୍ୟାଳୟରେ ରାଜ୍ୟପାଳ ବୋଇଂ ସୁକନ୍ୟା STEM ଲ୍ୟାବ୍, ଏରୋମଡେଲିଂ ତାଲିମ କେନ୍ଦ୍ର ଓ ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଥିଲେ।

ଏହି ଅବସରରେ ସେ କହିଥିଲେ, ପ୍ରତିଭାକୁ ପରିସ୍ଥିତିର ସୀମା ମଧ୍ୟରେ ବାନ୍ଧି ରଖିବା ଉଚିତ ନୁହେଁ। ଏହି ଅତ୍ୟାଧୁନିକ ଲ୍ୟାବ୍ଗୁଡ଼ିକ ଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହିତ କରିବ। ଏଥିସହ ବିମାନ ଚଳାଚଳ, ରୋବୋଟିକ୍ସ ଓ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।
ଏହା ପୂର୍ବରୁ ରାଜ୍ୟପାଳ ଅତାବିରାଠାରେ ଆୟୋଜିତ କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଇଥିଲେ। ଏଠାରେ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସାଂସ୍କୃତିକ ସଦ୍ଭାବ, ପାରସ୍ପରିକ ସମ୍ମାନ ଓ ସୁଦୃଢ଼ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ତେଲୁଗୁ ଭାଷା ଓ ପରମ୍ପରାର ସଂରକ୍ଷଣ ସହ ଶିକ୍ଷା, କ୍ରୀଡ଼ା ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।

