ପାରାଦୀପ/ତିର୍ତ୍ତୋଲ:ନିରପେକ୍ଷ ଖବର : ତା ୨୨/୧୧ ପରିବର୍ତ୍ତିତ ସମୟ ଓ ପରିବର୍ଦ୍ଧିତ ଜୀବନ ଚର୍ଯ୍ୟାକୁ ଆଧାର କରି ନାଗରିକମାନଙ୍କୁ ସମୟୋଚିତ ସୁବିଧା ସୁଯୋଗ ଯୋଗାଇ ପାରିଥିବା ଶାସନ ପଦ୍ଧତିକୁ ଗଣତନ୍ତ୍ର ବୋଲି କୁହାଯାଏ । ଦୀର୍ଘଦିନ ହେବ ଓଡ଼ିଶାର ନାଗରିକମାନଙ୍କୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା ମାଧ୍ୟମରେ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବାରୁ ଓଡ଼ିଶା ର ନାମ ମଧ୍ୟ ଆଗରେ ରହିଛି । ସରକାର ଯୋଜନା କରିବେ , ମାତ୍ର ଯୋଜନାର କାର୍ଯ୍ୟ କାରିତା ନିର୍ଭର କରେ ତୃଣମୂଳ ସ୍ତରରେ ଥିବା ଲୋକ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କ ଉପରେ । ମାତ୍ର ଅନେକ ସମୟରେ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏକଥା ମାଲକାନଗିରି ପରି ଦୁର୍ଗମ ଅଞ୍ଚଳର ନୁହେଁ , ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ପଞ୍ଚାୟତର କୋଟକଣା ଗ୍ରାମର ମୁଣ୍ଡା ସାହିର ୪ ଟି ପିଲା ଦୀର୍ଘ ୪ବର୍ଷ ହେବ ସରକାରୀ ସହାୟତା ବିନା ଅସହାୟତାରେ ବଞ୍ଚିବା ସରକାରଙ୍କ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏ ପ୍ରସଙ୍ଗ ଉଠାଇଛନ୍ତି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ।
ପ୍ରକାଶ ଥାଉ କି ମୁଣ୍ଡା ସାହିର ଶିବ ସିଂ ଓ ବୈଶାଖୀ ସିଂ ଙ୍କର ୨ଟି ପୁଅ ଓ ୪ଟି ଝିଅଙ୍କୁ ନେଇ ସଂସାର ।ଶିବ ସିଂ ଟିବି ରୋଗରେ ଆକ୍ରାନ୍ତ ହେବା, ପରେ ପରେ ଘର ଛାଡ଼ି ପଳାଇବା , ସ୍ତ୍ରୀ ବୈଶାଖୀ ମଧ୍ୟ ସାନ ପୁଅକୁ ନେଇ ଅନ୍ୟ ଏକ ପୁରୁଷ ସହ ଚାଲିଯିବା , ବଡ଼ ପୁଅ ବାପି ସିଂ ମଧ୍ୟ ନିରୁଦିଷ୍ଟ ହେବା ପରେ ଝିଅ ସଞ୍ଜୁ (୧୪) , ଅନାମିକା(୧୧), ପୁଅ ହାପି (୭), ଝିଅ କଣ୍ଢେଇ (୫) ୪ବର୍ଷ ହେବ ମୁଲ ମଜୁରୀ ଲାଗୁଥିବା ପାଖ ପଡୋଶୀଙ୍କ ଦୟାରେ ଆପତତ ବଞ୍ଚିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ସାମାନ୍ୟ ଆଜବେଷ୍ଟସ ଘର ଟିଏ । ଏଠାରେ ପ୍ରଶ୍ନ ଉଠେ ସରକାର ଉଲ୍ଲାସ କାର୍ଯ୍ୟକ୍ରମ ମାଧ୍ୟମରେ ବୁଢ଼ା ବୁଢ଼ୀଙ୍କୁ ସାକ୍ଷରତା କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏହି ୪ଟି ପିଲା ପାଠ ନପଢ଼ି ଘରେ ରହୁଛନ୍ତି କିପରି ? ଏହି ଦିଗରେ ଅଙ୍ଗନୱାଡ଼ି କର୍ମୀଠାରୁ ଆରମ୍ଭ କରି ପ୍ରାଥମିକ ସ୍ତର ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ନଜରକୁ ଏମାନେ ନଆସିଲେ କିପରି । ମହିଳା ଶିଶୁ ବିକାଶ ବିଭାଗ ଏମାନଙ୍କ ପାଇଁ କଣ ପଦକ୍ଷେପ ନେଇଛନ୍ତି । କିଛିଦିନ ପରେ କିଶ୍ୱୋରୀ ଅବସ୍ଥାରେ ପରିଣତ ହେବାକୁ ଯାଉଥିବା ଏହି ଝିଅମାନଙ୍କ ଭବିଷ୍ୟତ କଣ ହେବ ? ଜୀବନ ଆରମ୍ଭ ହେଉ ହେଉ ଯଦି ସେମାନଙ୍କ ସହିତ କିଛି ଅଘଟଣ ଘଟିଯାଏ ସେଥି ପାଇଁ କିଏ ଦାୟୀ ରହିବ ? ଏ ସମ୍ପର୍କରେ ଶ୍ରୀମତୀ ଆଚାର୍ଯ୍ୟ ସ୍ଥାନୀୟ ପି.ଏଲ୍.ଭି କର୍ମୀ କବିତା ସେଠୀଙ୍କୁ ସାଙ୍ଗରେ ନେଇ ପିଲା ମାନଙ୍କ କଥା ବୁଝିବା ସହ ଦୀର୍ଘ ଦିନ ହେବ ଏହି ପିଲାମାନେ ରାସନ୍ ଚାଉଳରୁ ବଞ୍ଚିତ ଥିବାର ଜାଣି ତିର୍ତ୍ତୋଲ ବ୍ଲକ ଏମ.ଆଇ ଙ୍କ ସହ ସାକ୍ଷାତ କରି ଏହି ପିଲା ମାନଙ୍କୁ ତୁରନ୍ତ ରାସନ୍ ଅନ୍ତର୍ଭୁକ୍ତ କରାଇ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ସହୃଦୟା ଏମ.ଆଇ ମହାଶୟା ଖୁବ୍ ଶୀଘ୍ର ବିହିତ ପଦକ୍ଷେପ ନେବେ ବୋଲି ଭରସା ଦେଇଥିଲେ । ୪ଟି ପିଲାଙ୍କର ଭାଗ୍ୟ ଏବେ ଅନ୍ଧାରରେ । ବାପା ମାଆ ନଥିବା ଏ ପିଲାମାନେ ଶିକ୍ଷା , ସ୍ବାସ୍ଥ୍ୟ , ଓ ବାସ ଗୃହରୁ ବଞ୍ଚିତ ହୋଇ ଏମିତି ଏକ ଜୀବନ ନିର୍ବାହ କରୁଛନ୍ତି ସତେ ଯେମିତି ଏମାନଙ୍କ ପାଇଁ ନା ଅଛି ପ୍ରଶାସନ ନା ଅଛି ସରକାର । ଯଦି ଏମାନଙ୍କର ଭୋଟ ଦେବାର ବୟସ ହୋଇଥାନ୍ତା ତାହେଲେ କୌଣସି ପ୍ରକାର ରାଜନେତାଙ୍କ ଦୃଷ୍ଟିକୁ ଆସି ପାରିଥାନ୍ତା ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି ଶ୍ରୀମତୀ ଆଚାର୍ଯ୍ୟ । ଏମାନଙ୍କର ସ୍ଥାୟୀ ପ୍ରତିକାର ନିମନ୍ତେ ଯୋଡ ହସ୍ତରେ ନିବେଦନ କରିଛନ୍ତି ଶ୍ରୀମତୀ ଆଚାର୍ଯ୍ୟ।


