ଭୁବନେଶ୍ଵର,ନିରପେକ୍ଷ ଖବର:ତା ୨୩/୦୧/୨୬ ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ତୃଣମୂଳ ସ୍ତରରେ ସେବା ପହଞ୍ଚିବାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡିଶା–୨୦୨୬”ର ଅନ୍ତିମ ଦିବସରେ ଆୟୋଜିତ “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ଅଭିନବ ପ୍ରୟାସକୁ ଚାଷୀମାନେ ସ୍ଵାଗତ କରିଥିଲେ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ମାନ୍ୟବର ମନ୍ତ୍ରୀ ସହ ସିଧାସଳଖ କଥା ହୋଇଥିଲେ ।
ଚାଷୀମାନେ ମୁଖ୍ୟତଃ ବ୍ଲକକୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାର ଟାର୍ଗେଟ ସମ୍ପର୍କରେ ମନ୍ତ୍ରୀଙ୍କୁ ପଚାରିଥିଲେ । ମାନ୍ୟବର ମନ୍ତ୍ରୀ କହିଥିଲେ ଆମ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଟାର୍ଗେଟ୍ ଲିମିଟ୍ ନାହିଁ । ଅଧିକରୁ ଅଧିକ ଚାଷୀ ଯୋଜନାର ସୁଫଳ ନେବାକୁ ସେ ଆହ୍ଵାନ ଜଣାଇଥିଲେ । କହିଥିଲେ ରାଜ୍ୟ ସରକାର ଚାହାନ୍ତି ସମସ୍ତ ଯୋଜନାର ସୁଫଳ ସମସ୍ତ ଚାଷୀଙ୍କ ନିକଟରେ ପହଞ୍ଚୁ ।

ମତ୍ସ୍ୟ ପୋଖରୀ ଯୋଜନାରେ ପ୍ରକଳ୍ପ ମୂଲ୍ୟ ବୃଦ୍ଧି, ନିୟମାବଳୀରେ ସଂଶୋଧନ ପାଇଁ ଚାଷୀମାନେ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଯୋଜନାରେ ଋଣ ପ୍ରଦାନ ପାଇଁ ବ୍ୟାଙ୍କଗୁଡିକ ସହଯୋଗ କରୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିବା ବେଳେ ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ସମନ୍ଵୟ ବୈଠକରେ ତୁରନ୍ତ ସମସ୍ୟା ସମାଧାନ ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରକଳ୍ପ ଶେଷ ପରେ ରିହାତି ଅର୍ଥ ଠିକ୍ ସମୟରେ ପ୍ରଦାନ କରିବାକୁ ଚାଷୀମାନେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ସହ ବ୍ଲକ ସ୍ତରରେ ଥିବା ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀମାନଙ୍କ ପାଇଁ ମାଗଣା ଔଷଧ ପ୍ରଦାନ କରିବାର ସୁବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।
“ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟଚାଷୀ, ପ୍ରାଣିପାଳକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

