ୱାଶିଂଟନ୍,ନିରପେକ୍ଷ ଖବର: ତା ୧୩/୦୩ ବିଶ୍ୱ ତୈଳ ବଜାରରେ ବଢୁଥିବା ଅସ୍ଥିରତା ମଧ୍ୟରେ ତୈଳ ସଙ୍କଟକୁ ରୋକିବା ପାଇଁ ଆମେରିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବରେ ଅନ୍ୟ ଦେଶମାନଙ୍କୁ ରୁଷରୁ ଅଶୋଧିତ ତୈଳ କିଣିବାକୁ ଅନୁମତି ଦିଆଯାଇଛି।
ଆମେରିକୀୟ ଟ୍ରେଜେରୀ ବିଭାଗ ଜାରି କରିଥିବା ଏକ ବିଶେଷ ଲାଇସେନ୍ସ ଅନୁଯାୟୀ, ମାର୍ଚ୍ଚ ୧୨ ପୂର୍ବରୁ ଜାହାଜରେ ଲୋଡ୍ ହୋଇଥିବା ରୁଷୀୟ ଅଶୋଧିତ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରରେ ବିକ୍ରି ଓ ବିତରଣ କରାଯାଇପାରିବ। ଏହି ଛାଡ଼ କେବଳ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୈଧ ରହିବ।

ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଉପରକୁ ବଢିବା ଓ ମଧ୍ୟପୂର୍ବର ତଣ୍ଟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ତୈଳ ଯୋଗାଣ ବୃଦ୍ଧି କରି ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏହାର ମୂଳ ଉଦ୍ଦେଶ୍ୟ।
ଆମେରିକୀୟ ଅର୍ଥ ବିଭାଗର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ଛାଡ଼ କେବଳ ସମୁଦ୍ରରେ ପରିବହନ ହେଉଥିବା ତୈଳ ପାଇଁ ପ୍ରଯୁଜ୍ୟ ହେବ ଏବଂ ଏହା ଏକ କ୍ଷଣସ୍ଥାୟୀ ବ୍ୟବସ୍ଥା।
ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ଆଣିବା ସହ ତୈଳ ଦରର ଅତ୍ୟଧିକ ବୃଦ୍ଧିକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଆମେରିକା ପକ୍ଷରୁ ସୂଚନା ମିଳିଛି।

