ଭୁବନେଶ୍ଵର,ନିରପେକ୍ଷ ଖବର ତା: ୨୩/୦୧/୨୬ ଜନତା ମୈଦାନରେ ଆୟୋଜିତ ତିନି ଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶରେ ସ୍ଥାନ ପାଇଥିବା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନୀରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଆଧୁନିକ ତଥା ଉନ୍ନତ ପ୍ରଣାଳୀର ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି ପାଇଁ ଏଠାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଚାଷର ଉନ୍ନତ ଜ୍ଞାନ କୌଶଳ ପ୍ରଦର୍ଶନ କରାଯାଇଛି । ପଞ୍ଜୁରି ମଧ୍ୟରେ ମାଛଚାଷ, ଇନ୍ ପଣ୍ଡ ରେସ୍ ୱେ ସିଷ୍ଟମ୍ ମାଧ୍ୟମରେ ମାଛଚାଷ, ପୁନଃଚକ୍ରିୟ ଜଳକୃଷି ପଦ୍ଧତିରେ ମାଛଚାଷ, ଜୈବପୁଞ୍ଜ ପଦ୍ଧତିରେ ମାଛଚାଷ, ଉନ୍ନତ କଙ୍କଡା ଚାଷ, ଧାନ ସହ ମାଛଚାଷ, ପୋଖରୀରେ ଫୁଲ ଓ ପନିପରିବା ସହ ମାଛଚାଷର ସୁନ୍ଦର ପ୍ରଦର୍ଶନୀ ଦେଖଣାହାରୀଙ୍କୁ ପ୍ରଭାବିତ କରିଛି । ଏହା ସହ ରାଜ୍ୟ ମାଛ ମହାନଦୀ ମହାସୀର, ବିଭିନ୍ନ କାର୍ପ ମାଛ, ଶତାଧିକ ରଙ୍ଗୀନ ମାଛ ଦେଖିବାକୁ ଛୋଟ ପିଲାଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଛି । ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଉନ୍ନତ ଫାଇବର ମାଛଧରା ଡଙ୍ଗା ସହ ବିଭିନ୍ନ ବ୍ରାଣ୍ଡର ଇଞ୍ଜିନ ଓ ଜାଲ ଆକୃଷ୍ଟ କରିଥିଲା । ଏହି ଜୀବନ୍ତ ପ୍ରଦର୍ଶନୀରେ ଅନ୍ୟତମ ଆକର୍ଷଣ ଥିଲା ସାମୁଦ୍ରିକ ମାଛ ପ୍ରକ୍ରିୟାକରଣ ଓ ଲାଇଭ୍ ସି କିଚେନ୍, ଯେଉଁଠାରେ ଦର୍ଶକମାନେ ଜୀବନ୍ତ ପ୍ରକ୍ରିୟାକରଣ ଦେଖିବା ସହ ନିଜ ମନ ପସନ୍ଦର ସାମୁଦ୍ରିକ ମାଛ, ଚିଙ୍ଗୁଡି, କଙ୍କଡା ଖାଇବାର ମଜା ନେଇଥିଲେ ।


