ଭୁବନେଶ୍ୱର,ନିରପେକ୍ଷ ଖବର, ତା ୧୩/୦୩ :ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।

ପ୍ରାୟ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟ ଉନ୍ନତି ପାଇଁ ଏହି ଅର୍ଥରେ ଅବଦାନ ଦେଇଛନ୍ତି।
ପରିଷଦର ଅଧ୍ୟକ୍ଷ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗ ଦ୍ୱାରା ବିଦ୍ୟାଳୟର ଶୈକ୍ଷିକ ଓ ଭିତ୍ତିଭୂମି ଉନ୍ନତିରେ ଅଧିକ ଗୁରୁତ୍ୱ ଦେବାକୁ କହିଥିଲେ।
ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠିରୁ ମିଳିଥିବା ଅବଦାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୪ଟି ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ଓ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସୁଜାତା ପଣ୍ଡା ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

