ଭୁବନେଶ୍ୱର, ନିରପେକ୍ଷ ଖବର, ୧୦/୧୦: ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ କିଟ୍ ଓ କିସ୍ର ଉଲ୍ଲେଖନୀୟ ସଫଳତା। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୩୪ ଜଣ ଅଧ୍ୟାପକ ସ୍ଥାନ ପାଇଛନ୍ତି। ଏଥିସହ କିସ୍ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି।

୨୦୨୬ର ବାର୍ଷିକ ଗବେଷଣା ପ୍ରଭାବ ତାଲିକାରେ ସ୍ଥାନ ପାଇଥିବା ଅଧ୍ୟାପକଙ୍କ ମଧ୍ୟରୁ ୧୩ ଜଣ ଦୀର୍ଘକାଳୀନ ଗବେଷଣା ପ୍ରଭାବ ତାଲିକାରେ ମଧ୍ୟ ସ୍ଥାନ ହାସଲ କରିଛନ୍ତି। ସେହିପରି, ୧୧ ଜଣ ଅଧ୍ୟାପକ ଉଭୟ ତାଲିକାରେ ସ୍ଥାନ ପାଇଛନ୍ତି।
ଗବେଷଣା ପ୍ରକାଶନର ଉଦ୍ଧୃତି ସଂଖ୍ୟା ଏବଂ ବୈଜ୍ଞାନିକ ପ୍ରଭାବ ସମ୍ପର୍କିତ ବିଭିନ୍ନ ମାନଦଣ୍ଡକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଏ। ବିଭିନ୍ନ ବୈଜ୍ଞାନିକ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଓ ଅବଦାନ ରଖିଥିବା ଗବେଷକମାନଙ୍କୁ ଏଥିରେ ସ୍ଥାନ ମିଳିଥାଏ।
ଏହି ସଫଳତା କିଟ୍ର ଗବେଷଣା, ନବସୃଜନ ଓ ଶୈକ୍ଷିକ ଉତ୍କର୍ଷତାକୁ ପ୍ରତିଫଳିତ କରୁଥିବା ବେଳେ ଗବେଷଣା କ୍ଷେତ୍ରରେ କିସ୍ର ବଢ଼ୁଥିବା ଅବଦାନକୁ ମଧ୍ୟ ଉଜାଗର କରିଛି।
ଏହି ସଫଳତାରେ ଖୁସି ପ୍ରକାଶ କରି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଅନୁଷ୍ଠାନର ଅଧ୍ୟାପକମାନେ ସ୍ଥାନ ପାଇବା ଗର୍ବର ବିଷୟ। ବିଭିନ୍ନ ବୈଜ୍ଞାନିକ କ୍ଷେତ୍ରରେ ସେମାନଙ୍କର ଗବେଷଣା ଓ ଅବଦାନ ପ୍ରଶଂସନୀୟ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଏହି ସ୍ୱୀକୃତି ବିଶ୍ୱ ଗବେଷଣା କ୍ଷେତ୍ରରେ କିଟ୍ର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହ ଗୁଣାତ୍ମକ ଗବେଷଣା ମାଧ୍ୟମରେ ଜ୍ଞାନର ଅଭିବୃଦ୍ଧି ଓ ସମାଜର ଉନ୍ନତି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛି।

