ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୧୦ ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉପକରଣ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କଡ଼ା ପଦକ୍ଷେପ। ଉପକରଣ କ୍ରୟ ସମୟରେ ବାହାରିଆ ବ୍ୟକ୍ତି ଓ ଭେଣ୍ଡରଙ୍କ ଅନୁଚିତ ଚାପ, ହସ୍ତକ୍ଷେପ ଏବଂ ନିୟମ ବଦଳାଇବା ଉଦ୍ୟମକୁ ରୋକିବା ପାଇଁ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଅର୍ଥାତ୍ CDM & PHOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, କିଛି ଜିଲ୍ଲାରେ ଉପକରଣ କ୍ରୟ ପ୍ରକ୍ରିୟାରେ ବାହ୍ୟ ବ୍ୟକ୍ତି ଓ କିଛି ଭେଣ୍ଡରଙ୍କ ହସ୍ତକ୍ଷେପ ନେଇ ଅଭିଯୋଗ ଆସିଥିଲା। ଏପରିକି ଅନୁମୋଦିତ ବୈଷୟିକ ନିର୍ଦ୍ଦିଷ୍ଟତା ବଦଳାଇବା, କ୍ରୟ ପ୍ରକ୍ରିୟାକୁ ବିଳମ୍ବିତ କରିବା ଏବଂ ନିଜ ସୁବିଧା ଅନୁଯାୟୀ ନିୟମ ପରିବର୍ତ୍ତନ ପାଇଁ ଚାପ ପକାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟ ବିଭାଗ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମର କଠୋର ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି। ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ଉପକରଣ କ୍ରୟ କେବଳ OSMCL, NHM କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅନୁମୋଦିତ ବୈଷୟିକ ନିର୍ଦ୍ଦିଷ୍ଟତା ଏବଂ ସରକାରୀ ଆର୍ଥିକ ନିୟମ ଅନୁଯାୟୀ କରାଯିବ। ସକ୍ଷମ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ବିନା ଏହି ନିର୍ଦ୍ଦିଷ୍ଟତାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ସେହିପରି ଟେଣ୍ଡର ସମ୍ପର୍କିତ ଆଭ୍ୟନ୍ତରୀଣ ଫାଇଲ୍ ନୋଟିଂ ଓ ତୁଳନାତ୍ମକ ତଥ୍ୟକୁ ଅନଧିକୃତ ଭାବେ ଭେଣ୍ଡରଙ୍କ ସହ ସେୟାର କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଟେଣ୍ଡରଦାତାଙ୍କ ସହ ସମସ୍ତ ଯୋଗାଯୋଗ କେବଳ ସରକାରୀ ଇମେଲ୍ କିମ୍ବା ଟେଣ୍ଡର ପୋର୍ଟାଲ ମାଧ୍ୟମରେ ଲିଖିତ ଭାବେ କରିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ, କୌଣସି ବ୍ୟକ୍ତି ଯଦି ଉପକରଣ କ୍ରୟ ପ୍ରକ୍ରିୟାରେ ଧମକ, ଅନୁଚିତ ଚାପ କିମ୍ବା ପ୍ରଲୋଭନ ଦେବାକୁ ଚେଷ୍ଟା କରନ୍ତି, ତେବେ ସେ ସମ୍ପର୍କରେ ତୁରନ୍ତ ଲିଖିତ ଭାବେ ରେକର୍ଡ କରି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇବାକୁ କୁହାଯାଇଛି। ଏହି ନିର୍ଦ୍ଦେଶର ନକଲ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ପଠାଯାଇଛି।ତେବେ ସରକାରୀ ସ୍ୱାସ୍ଥ୍ୟ ଉପକରଣ କ୍ରୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିୟମାନୁଗତ ଓ ଚାପମୁକ୍ତ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗର ଏହି ନିର୍ଦ୍ଦେଶ କେତେଦୂର ପ୍ରଭାବୀ ହେଉଛି, ତାହା ଉପରେ ଏବେ ନଜର।


